ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଆବଶ୍ୟକ ଉପାଦାନ
02 ଅଗଷ୍ଟ 2017
ଶେୟାର କରନ୍ତୁ :
ଭୁବନେଶ୍ବରରେ ହୋଇଥିବା ଓଡିଶା ୨୦୩୬ ଉପରେ ଏକ ଆଲୋଚନା ଚକ୍ରରେ ମୁଁ ଭାଗ ନେଇଥିଲି। ଓଡିଶାର ଶତ ବର୍ଷର ପୂର୍ତ୍ତି ଉପଲକ୍ଷେ ଭବିଷ୍ୟତର ପରିକଳ୍ପନା ନେଇ ଆଲୋଚନା। ସେଦିନ ମୁଁ ମୋ ବକ୍ତବ୍ୟ ରଖିବା ବେଳେ ହଠାତ୍ ମୋର ମନେହେଲା ଯେ ଗୋଟିଏ ବ୍ୟକ୍ତିର ସଫଳତା ଏବଂ ଗୋଟିଏ ଦେଶ, ଜାତି ଓ ଗୋଷ୍ଠୀର ସଫଳତା ଭିତରେ ବିଶେଷ କିଛି ପାର୍ଥକ୍ୟ ନାହିଁ। ବିନ୍ଦୁ ବିନ୍ଦୁ ପାଣି ନେଇ ଯେମିତି ସମୁଦ୍ର, ଠିକ୍ ସେମିତି ବ୍ୟକ୍ତିଙ୍କୁ ନେଇ ଦେଶ ଓ ସମାଜ ଗଢା। ଏଇ ପରିପ୍ରେକ୍ଷୀରେ ଜଣେ କିଶୋରର ଉଜ୍ଜଳ ଭବିଷ୍ୟତ ପରିକଳ୍ପନା ପାଇଁ ତିନୋଟି ଜିନିଷ ଆବଶ୍ୟକ। ଏହି ତିନୋଟି ହେଲା ଆକାଂକ୍ଷା, ତୁଳନାତ୍ମକ ଚିନ୍ତା ଏବଂ ବର୍ତ୍ତମାନରୁ ବିଚ୍ୟୁତ ହେବାର ଦୃଢ ମନୋବଳ।
ଉନ୍ନତି କରିବା ପାଇଁ ଜଣଙ୍କ ଭିତରେ ଆଗକୁ ବଢିବାର ଇଚ୍ଛା ଓ ଆକାଂକ୍ଷା ରହିବା ଜରୁରୀ। ଏଥିପାଇଁ ଭବିଷ୍ୟତ ବିଷୟରେ ପ୍ରଥମେ ଚିନ୍ତା କରିବାକୁ ହେବ। ଆମେ ଭବିଷ୍ୟତ ବିଷୟରେ କେତେ ଚିନ୍ତା କରିଥାଉ? ମନସ୍ତାତ୍ତ୍ବିକମାନଙ୍କ ମତରେ ଗୋଟିଏ ଦିନରେ ଆମ ମନରେ ୬୦,୦୦୦ଟି ଭାବନା ଆସିଥାଏ। ଏହାକୁ ଅନୁଧ୍ୟାନ କଲେ ଦେଖାଯିବ ଯେ ଅଧିକାଂଶ ବ୍ୟକ୍ତି ବେଶୀ ଭାଗ ସମୟରେ କେବଳ ବିଗତ ଚିନ୍ତାକୁ ମନକୁ ଆଣିଥାଆନ୍ତି। କିଛି ସମୟ ଯାଏ ବର୍ତ୍ତମାନ ସମ୍ପର୍କରେ ଚିନ୍ତା କରି। ଏବଂ ଭବିଷ୍ୟତ ସମ୍ପର୍କରେ ଭାବନା ଅପେକ୍ଷାକୃତ କମ୍। ଯେଉଁ ଭବିଷ୍ୟତକୁ ସାକାର କରିବା ଆମର ପ୍ରଧାନ ଲକ୍ଷ୍ୟ, ତାହା ଉପରେ ଗୁରୁତ୍ବ ନ ଦେଲେ ସଫଳତାପ୍ରାପ୍ତି ହେବ ନାହିଁ। ଜୀବନରେ ସମ୍ବଳ ତ ଜରୁରୀ, କିନ୍ତୁ ଅଧିକ ଜରୁରୀ ଭବିଷ୍ୟତ ପାଇଁ ପରିକଳ୍ପନା ଓ ଆକାଂକ୍ଷା ରଖିବା। ମୋ ମନକୁ ଆସେ ଆଗରୁ ଥରେ ଆଲୋଚନା କରିଥିବା ନୁନାରାମ ହାଂସଦାଙ୍କ କଥା। ବାପା, ମା’ ଜମି ବନ୍ଧା ରଖି ପୁଅକୁ ଆଇଟିଆଇରେ ଭର୍ତ୍ତି କରିଥିଲେ। ସେତିକିରେ ତାଙ୍କର ହଷ୍ଟେଲ ଖର୍ଚ୍ଚ ଉଠୁ ନ ଥିଲା। କିନ୍ତୁ ତାଙ୍କର ଆଶାଦୀପ୍ତ ବ୍ୟବହାର, ଉଚ୍ଚାକାଂକ୍ଷା ଦେଖି ଶିକ୍ଷକ ଶିକ୍ଷୟତ୍ରୀମାନେ ଚାନ୍ଦା କରି ହଷ୍ଟେଲ ଖର୍ଚ୍ଚ ଦେଇ ଦେଉଥିଲେ। ଏବେ ନୁନାରାମ ଭାରତର ସର୍ବଶ୍ରେଷ୍ଠ କମ୍ପାନୀ ବାୟୋକନ୍ରେ ସିଫ୍ଟ୍ ଇନ୍ଚାର୍ଜ୍।
ଆକାଂକ୍ଷା ସହିତ ଯୋଡା ଆଉ କେତୋଟି ବିଶେଷ ଗୁଣ। ଆଗକୁ ବଢିବା ପାଇଁ ଜୀବନରେ ଜଣଙ୍କୁ ନିଜର ଆଦର୍ଶ ବୋଲି ଗ୍ରହଣ କରିବା ଦରକାର। ଇଂରାଜୀରେ ଏପରି ଲୋକଙ୍କୁ 'Benchmark' ବୋଲି କୁହାଯାଇଥାଏ। ପ୍ରତି ପଦକ୍ଷେପରେ ସେମାନଙ୍କ ସାଙ୍ଗରେ ନିଜକୁ ତୁଳନା କରିବା ଉଚିତ। ଓଡିଶାର ଚାଟଶାଳୀରେ କୁହାଯାଉଥିଲା - ‘ପାଠ ପଢିବି, କାଳିଆ ଘୋଡାରେ ଚଢିବି, ମଧୁବାବୁ ସାଙ୍ଗେ ଲଢିବି’। ଆମେ ଯଦି ଆମର ଆଦର୍ଶ ବ୍ୟକ୍ତିଙ୍କ ସହିତ ନିଜକୁ ସବୁବେଳେ ତୁଳନା କରି ସେଇ ପର୍ଯ୍ୟାୟରେ ପହଞ୍ଚିବାର ଚେଷ୍ଟା କରିବା, ତାହେଲେ ଭବିଷ୍ୟତ ସମ୍ଭାବନାମୟ ହୋଇପାରିବ।
ପିଲାଦିନେ କେନ୍ଦୁଝରର ଡିଏନ୍ ହାଇସ୍କୁଲରେ ପଢିବା ବେଳେ ମୁଁ ଯେତେବେଳେ ବିଭିନ୍ନ ଜିନିଷର ସତମିଛ ଅଭାବ ଦେଖାଇ ମା’ଙ୍କ ପାଖରେ ଅଳି କରୁଥିଲି, ସେତେବେଳେ ମା’ ସବୁବେଳେ ‘ମାଗୁଣି ବାରିକ’ଙ୍କ ଉଦାହରଣ ଦେଉଥିଲେ। ଆମ ସ୍କୁଲରେ ଉପର କ୍ଲାସ୍ରେ ପଢିଥିବା ମାଗୁଣି ବହୁତ କଷ୍ଟ କରି ପାଠ ପଢିଥିଲେ। ଦୂରବାଟରୁ ଚାଲି ଚାଲି ଆସୁଥିଲେ। ବାପା ନ ଥିଲେ; ମା’ ପଢାଉଥିଲେ। ଅଧିକ ବହିଖାତା ଦୂର କଥା, ତାଙ୍କର ଥିଲା ମାତ୍ର ଗୋଟିଏ ହଳ ୟୁନିଫର୍ମ୍। ଅଥଚ ଏସବୁ ସତ୍ତ୍ବେ ମାଗୁଣି ମ୍ୟାଟ୍ରିକ୍ ପରୀକ୍ଷାରେ ଓଡିଶାର ଶ୍ରେଷ୍ଠ ଦଶଜଣଙ୍କ ମଧ୍ୟରେ ଜଣେ ହୋଇପାରିଥିଲେ। ମା’ଙ୍କର ଏଇ ଉଦାହରଣ ମୋତେ ଶାନ୍ତ କରିଦେଇଥିଲା ଏବଂ ମୁଁ ନୂଆ କଥାଟିଏ ଶିଖିଥିଲି। ପାଠ ହେଉ କି ସଙ୍ଗୀତ, କଳା ହେଉ ବା କର୍ମକ୍ଷେତ୍ର - ମୋଠାରୁ ଆଗକୁ ଯାଇଥିବା ଏବଂ ଅଳ୍ପ ସମ୍ବଳ ଥାଇ ମଧ୍ୟ ମୋ ଠାରୁ ଭଲ କରିପାରୁଥିବା ଜଣଙ୍କ ସାଙ୍ଗରେ ନିଜକୁ ତୁଳନା କଲେ ହିଁ ନିଜର ପ୍ରକୃତ ମୂଲ୍ୟ କେତେ ତାହା ଜଣା ପଡିଯିବ।
ଏଥର ଉନ୍ନତି ପାଇଁ ତୃତୀୟ ଜିନିଷଟି ବିଷୟରେ ଲେଖୁଛି। ଆକାଂକ୍ଷିତ ଭବିଷ୍ୟତରେ ପହଞ୍ଚିବା ପାଇଁ ପ୍ରଥମେ ନିଜକୁ ବର୍ତ୍ତମାନଠାରୁ ବିଚ୍ୟୁତ କରିବାକୁ ପଡିବ। ଅଧିକ ତାଲିମ ପାଇଁ ଯିବାକୁ ହେଲେ ଘର ପରିବାର, ଚିହ୍ନା ମୁହଁ - ସମସ୍ତଙ୍କୁ ପଛରେ ପକାଇବାକୁ ପଡିବ। ଟ୍ରେନିଙ୍ଗ୍ ସେଣ୍ଟର୍ରେ ତାଲିମ ନେବା ପରେ ପୁଣି ଯଦି ଅତୀତର ମୋହ ଜଣଙ୍କର ପାଦ ବାନ୍ଧିଦିଏ, ତାହେଲେ ଭବିଷ୍ୟତ ପଥ ବନ୍ଦ ହୋଇଯିବ। ନୂତନ କର୍ମକ୍ଷେତ୍ରର ସ୍ଥାନ, ସଂସ୍କୃତି, ଭାଷା ଭିନ୍ନ ହୋଇପାରେ, କିନ୍ତୁ ମନେ ରଖିବାକୁ ହେବ ଯେ ନୂତନକୁ ନିଜର କରିଲେ ହିଁ ଜଣଙ୍କୁ ଦକ୍ଷ ଜୀବନର ପ୍ରକୃତ ଅନୁଭୂତି ମିଳିଥାଏ। ଏହା ହିଁ ପରବର୍ତ୍ତୀ ଜୀବନର ମୂଳଦୁଆ ହୁଏ। ଅଥଚ ବହୁ କ୍ଷେତ୍ରରେ ଦେଖାଯାଏ ଯେ ତାଲିମ ପାଇବା ପରେ ବହୁ ଯୁବକ ଯୁବତୀ ଅତୀତର ଚିହ୍ନା ରାସ୍ତକୁ ଫେରି ଆସନ୍ତି। ଫଳରେ ନିଜର ତାଲିମ, ଦକ୍ଷତା ଅଳ୍ପ ଦିନ ଭିତରେ ଅକର୍ମା ହୋଇଯାଏ। ମୋ ମତରେ ତାଲିମ ପାଇବା ପରେ ନିଜ ମନକୁ ଦୃଢ କରିବାକୁ ହେବ, ନିଜକୁ ସ୍ଥିରଚିତ୍ତ କରିବାକୁ ହେବ। ମୋ ନିଜ ଅଭିଜ୍ଞତାରୁ ମୁଁ ଦେଖିଛି, ସମସ୍ତଙ୍କ ଜୀବନରେ ଅନ୍ତତଃ ଦୁଇ ତିନି ଥର ଏପରି ସମୟ ଓ ଘଟଣା ଆସେ ଯେତେବେଳେ କି ଭାଗ୍ୟ ସେମାନଙ୍କର ପରୀକ୍ଷା ନିଏ। ଜୀବନ ସେମାନଙ୍କର ଦୃଢତାର ପ୍ରମାଣ ଖୋଜେ। ପଛକୁ ଫେରିଯିବା ଓ ଆଗେଇ ଯିବା ଭିତରେ ରହିଛି କାଳ୍ପନିକ ବିନ୍ଦୁଟିଏ। ଏହାକୁ କୁହାଯାଇପାରେ ବିଚ୍ୟୁତିର ବିନ୍ଦୁ। ଏଇ ବିନ୍ଦୁକୁ ଡେଇଁ ଯିବା ପରେ ମନରେ ଆଶଙ୍କା, ଅବସାଦର ଅବକାଶ ରହେ ନାହିଁ। ରହେ କେବଳ ସମ୍ଭାବିତ ଭବିଷ୍ୟତର ନିମନ୍ତ୍ରଣ।